1 ତୃତୀୟ କଥୋପକଥନ ଇଲୀଫସ୍ - ଆୟୁବର ଦୁଷ୍ଟତା ଅଧିକ ଅନନ୍ତର ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା,
2 ମନୁଷ୍ୟ କʼଣ ପରମେଶ୍ଵରଙ୍କ ପ୍ରତି ଲାଭଜନକ ହୋଇପାରେ? ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ ।
3 ତୁମ୍ଭେ ଯେ ଧାର୍ମିକ ଅଟ, ଏହା କʼଣ ସର୍ବଶକ୍ତିମାନଙ୍କ ସୁଖର କାରଣ? ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କʼଣ ତାହାଙ୍କ ପ୍ରତି ଲାଭଜନକ?
4 ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କʼଣ ତୁମ୍ଭକୁ ଅନୁଯୋଗ କରନ୍ତି ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି?
5 ତୁମ୍ଭର ଦୁଷ୍ଟତା କʼଣ ବଡ଼ ନୁହେଁ? ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ ।
6 ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ ।
7 ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ ।
8 ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା ।
9 ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି ।
10 ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି ।
11 ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି ।
12 ପରମେଶ୍ଵର କʼଣ ଉଚ୍ଚତମ ସ୍ଵର୍ଗରେ ନାହାନ୍ତି? ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ!
13 ପୁଣି, ତୁମ୍ଭେ କହୁଅଛ, ପରମେଶ୍ଵର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
14 ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ ଓ ସେ ଆକାଶମଣ୍ତଳରେ ଗମନାଗମନ କରନ୍ତି ।
15 ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
16 ସେମାନେ ଅକାଳରେ ଛିଣ୍ତାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲାନ୍ତ
17 ସେମାନେ ପରମେଶ୍ଵରଙ୍କୁ କହିଲେ, ଆମ୍ଭମାନଙ୍କ ନିକଟରୁ ଦୂର ହୁଅ ଓ ସର୍ବଶକ୍ତିମାନ ଆମ୍ଭମାନଙ୍କ ପାଇଁ କʼଣ କରି ପାରନ୍ତି?
18 ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ; ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ ।
19 ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି,
20 ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି ।
21 ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; ତଦ୍ଦ୍ଵାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ ।
22 ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର ।
23 ଯେବେ ତୁମ୍ଭେ ସର୍ବଶକ୍ତିମାନଙ୍କ ପ୍ରତି ଫେରିବ, ଯେବେ ଆପଣା ତମ୍ଵୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ ।
24 ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇ ଦିଅ;
25 ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ଵରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ଵରୂପ ହେବେ ।
26 କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କ-ଠାରେ ଆନନ୍ଦ କରିବ ଓ ପରମେଶ୍ଵରଙ୍କ ଆଡ଼େ ଆପଣା ମୁଖ ଟେକିବ ।
27 ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ ।
28 ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ; ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ ।
29 ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ ଓ ସେ ନମ୍ର ଲୋକକୁ ରକ୍ଷା କରିବେ ।
30 ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ; ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ଵାରା ସେ ଉଦ୍ଧାର ପାଇବ ।