1 ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ ।
2 ହେ ମୋହର ପରମେଶ୍ଵର, ମୁଁ ତୁମ୍ଭଠାରେ ଶରଣ ନେଇଅଛି, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ ।
3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; ଯେଉଁମାନେ ଅକାରଣରେ ବିଶ୍ଵାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ ।
4 ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ ।
5 ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ଵର ଅଟ; ମୁଁ ଦିନଯାକ ତୁମ୍ଭର ଅନୁସରଣ କରେ ।
6 ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର । କାରଣ ତାହା ଅନାଦିକାଳୀନ ।
7 ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର ।
8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ ।
9 ସେ ନମ୍ର ଲୋକକୁ ବିଚାରମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ ।
10 ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ ।
11 ହେ ସଦାପ୍ରଭୋ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼ ।
12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ ।
13 ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ ।
14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀ-ମାନଙ୍କଠାରେ ଥାଏନ୍ତ
15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏନ୍ତ କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ ।
16 ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ ।
17 ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର ।
18 ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; ପୁଣି, ମୋହର ପାପସବୁ କ୍ଷମା କର ।
19 ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି ।
20 ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି ।
21 ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମ୍ଭର ଅନୁସରଣ କରେ ।
22 ହେ ପରମେଶ୍ଵର, ଇସ୍ରାଏଲକୁ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର ।