Bible Versions
Bible Books

Psalms 10 (ORV) Oriya Old BSI Version

1 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ? ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ?
2 ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ; ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ
3 କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ
4 ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ, ପରମେଶ୍ଵର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର
5 ତାହାର ସମସ୍ତ ଗତି ସର୍ବଦା ଦୃଢ଼; ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ଵବର୍ତ୍ତୀ, ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ
6 ସେ ଆପଣା ମନେ ମନେ କହେ, ମୁଁ ଘୁଞ୍ଚା ଯିବି ନାହିଁ; ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି
7 ତାହାର ମୁଖ ଅଭିଶାପ ଛଳନା ଉପଦ୍ରବରେ ପରିପୂର୍ଣ୍ଣ; ତାହାର ଜିହ୍ଵା ତଳେ ଅନିଷ୍ଟ ଅଧର୍ମ ଥାଏ
8 ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ; ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ; ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ
9 ଯେପରି ସିଂହ ଆପଣା ଗହ୍ଵରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ, ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ; ସେ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ
10 ସେ ଛକି ବସେ, ସେ ନଇଁ ପଡ଼େ, ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ଵାରା ପତିତ ହୁଅନ୍ତି
11 ସେ ଆପଣା ମନେ ମନେ କହେ, ପରମେଶ୍ଵର ପାସୋରି ଯାଇଅଛନ୍ତି; ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ
12 ହେ ସଦାପ୍ରଭୋ, ଉଠ; ହେ ପରମେଶ୍ଵର, ଆପଣା ହସ୍ତ ଉଠାଅ; ଦୁଃଖୀମାନଙ୍କୁ ପାସୋର ନାହିଁ
13 ଦୁଷ୍ଟଲୋକ କାହିଁକି ପରମେଶ୍ଵରଙ୍କୁ ଅବଜ୍ଞା କରେ ତୁମ୍ଭେ ଅନୁସନ୍ଧାନ କରିବ ନାହିଁ ବୋଲି ସେ ଆପଣା ମନେ ମନେ କହେ?
14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଦ୍ଵେଷ ପ୍ରତି ଦୃଷ୍ଟି କରୁଅଛ; ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ; ତୁମ୍ଭେ ପିତୃହୀନର ସହାୟ ହୋଇଅଛ
15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗି ଦିଅ; ଆଉ, ତୁମ୍ଭେ ମନ୍ଦଲୋକର କୌଣସି ଦୁଷ୍ଟତା ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି; ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି
17 ହେ ସଦାପ୍ରଭୋ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ; ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;
18 ପିତୃହୀନ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ, ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×