1 ତହୁଁ ଆୟୁବ ଉତ୍ତର କରି କହିଲା,
2 ତୁମ୍ଭେମାନେ ତ ଲୋକ, ସନ୍ଦେହ ନାହିଁ, ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଜ୍ଞାନ ମରିଯିବ ।
3 ମାତ୍ର ତୁମ୍ଭମାନଙ୍କ ପରି ଆମ୍ଭର ବୁଦ୍ଧି ଅଛି; ମୁଁ ତୁମ୍ଭମାନଙ୍କଠାରୁ ଊଣା ନୁହେଁ; ହଁ, ଏପରି କଥାସବୁ କିଏ ନ ଜାଣେ?
4 ମୁଁ ପ୍ରତିବାସୀର ହାସ୍ୟାସ୍ପଦ ଲୋକ ତୁଲ୍ୟ ହୋଇଅଛି, ସେ ପରମେଶ୍ଵରଙ୍କୁ ଡାକନ୍ତେ, ସେ ତାହାକୁ ଉତ୍ତର ଦେଲେ; ଧାର୍ମିକ, ସିଦ୍ଧ ଲୋକ ହାସ୍ୟାସ୍ପଦ ହୋଇଅଛି ।
5 ସୁଖରେ ଥିବା ଲୋକର ବୋଧରେ ବିପଦ ତୁଚ୍ଛନୀୟ; ଯେଉଁମାନଙ୍କର ପାଦ ଖସିଯାଏ, ସେମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ ।
6 ଡକାଇତମାନଙ୍କର ତମ୍ଵୁ ନିରାପଦ ହୁଏ ଓ ପରମେଶ୍ଵରଙ୍କୁ ବିରକ୍ତ କରିବା ଲୋକେ ନିର୍ବିଘ୍ନରେ ରହନ୍ତି; ପରମେଶ୍ଵର ସେମାନଙ୍କ ହସ୍ତରେ ବହୁତ ଦିଅନ୍ତି ।
7 ମାତ୍ର ଏବେ ପଶୁମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଶିକ୍ଷା ଦେବେ ଓ ଆକାଶର ପକ୍ଷୀମାନଙ୍କୁ ପଚାର, ସେମାନେ ତୁମ୍ଭକୁ ଜଣାଇବେ;
8 ଅବା ପୃଥିବୀକି ବୋଲ, ସେ ତୁମ୍ଭକୁ ଶିକ୍ଷା ଦେବ ଓ ସମୁଦ୍ରର ମତ୍ସ୍ୟମାନେ ତୁମ୍ଭ ପ୍ରତି ପ୍ରକାଶ କରିବେ ।
9 ସଦାପ୍ରଭୁଙ୍କ ହସ୍ତ ଯେ ଏହା କରିଅଛି, ଏସକଳ ଦ୍ଵାରା କିଏ ନ ଜାଣେ?
10 ତାହାଙ୍କ ହସ୍ତରେ ପ୍ରତ୍ୟେକ ଜୀବର ପ୍ରାଣ ଓ ସମୁଦାୟ ନରବଂଶର ଶ୍ଵାସବାୟୁ ଅଛି ।
11 ଯେପରି ରସନା ଖାଦ୍ୟର ଆସ୍ଵାଦ ପାଏ, ସେପରି କର୍ଣ୍ଣ କʼଣ କଥାର ପରୀକ୍ଷା ନ କରେ?
12 ପ୍ରାଚୀନମାନଙ୍କଠାରେ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ ।
13 ତାହାଙ୍କଠାରେ ଜ୍ଞାନ ଓ ପରାକ୍ରମ ଥାଏ; ତାହାଙ୍କର ମନ୍ତ୍ରଣା ଓ ବୁଦ୍ଧି ଅଛି ।
14 ଦେଖ, ସେ ଭାଙ୍ଗି ପକାନ୍ତି, ଆଉ ତାହା ପୁନର୍ନିର୍ମିତ ହୋଇ ନ ପାରେ; ସେ ମନୁଷ୍ୟକୁ ରୁଦ୍ଧ କଲେ, ଆଉ ମୁକୁଳା ହୋଇ ନ ପାରେ ।
15 ଦେଖ, ସେ ଜଳରାଶିକି ଅଟକାଇଲେ, ତାହାସବୁ ଶୁଷ୍କ ହୋଇଯାଏ; ପୁନର୍ବାର ସେ ତାହା ପଠାଇ ଦେଲେ, ତାହା ପୃଥିବୀକି ଓଲଟପାଲଟ କରି ପକାଏ ।
16 ତାହାଙ୍କଠାରେ ବଳ ଓ ଫଳଦାୟକ କର୍ମଣ୍ୟତା ଥାଏ; ଭ୍ରାନ୍ତ ଓ ଭ୍ରାମକ ତାହାଙ୍କର ।
17 ସେ ମନ୍ତ୍ରୀମାନଙ୍କୁ ଲୁଟିତ କରି ନେଇଯାʼନ୍ତି ଓ ବିଚାରକର୍ତ୍ତୃଗଣକୁ ସେ ନିର୍ବୋଧ କରନ୍ତି ।
18 ସେ ରାଜାମାନଙ୍କର ବନ୍ଧନ ମୁକ୍ତ କରନ୍ତି ଓ କଟିବନ୍ଧନୀରେ ସେମାନଙ୍କ କଟି ବାନ୍ଧନ୍ତି ।
19 ସେ ଯାଜକମାନଙ୍କୁ ଲୁଟିତ କରି ନେଇଯାʼନ୍ତି ଓ ବିକ୍ରମୀମାନଙ୍କୁ ପରାସ୍ତ କରନ୍ତି ।
20 ସେ ବିଶ୍ଵସ୍ତମାନଙ୍କ ବଚନ ଅନ୍ୟଥା କରନ୍ତି ଓ ପ୍ରାଚୀନମାନଙ୍କ ବୁଦ୍ଧିକି ହରଣ କରି ନିଅନ୍ତି ।
21 ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳନ୍ତି; ଓ ବଳବାନର ପଟୁକା ଫିଟାଇ ପକାନ୍ତି ।
22 ସେ ଅନ୍ଧକାରରୁ ନିଗୂଢ଼ ବିଷୟ ପ୍ରକାଶ କରନ୍ତି ଓ ମୃତ୍ୟୁଚ୍ଛାୟାକୁ ଆଲୁଅକୁ ଆଣନ୍ତି ।
23 ସେ ଗୋଷ୍ଠୀୟମାନଙ୍କୁ ବୃଦ୍ଧି କରନ୍ତି ଓ ସେମାନଙ୍କୁ ବିନାଶ କରନ୍ତି; ସେ ଗୋଷ୍ଠୀୟମାନଙ୍କୁ ବାହାରେ ବିସ୍ତୀର୍ଣ୍ଣ କରନ୍ତି ଓ ସେମାନଙ୍କୁ ଭିତରେ ଆଣନ୍ତି ।
24 ସେ ପୃଥିବୀସ୍ଥ ଲୋକମାନଙ୍କ ପ୍ରଧାନବର୍ଗର ହୃଦୟ ହରଣ କରନ୍ତି ଓ ସେ ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି ।
25 ସେମାନେ ଆଲୁଅରହିତ ହୋଇ ଅନ୍ଧକାରରେ ଦରାଣ୍ତି ହୁଅନ୍ତି, ସେ ସେମାନଙ୍କୁ ମତ୍ତ ଲୋକ ପରି ଟଳମଳ କରାନ୍ତି ।